Unknown

 

 

 

 

 

 

 

 

 

କଳିଯୁଗ ହେଉଅଛି ଶେଷ

ଭୀମ ଭୋଇ

 

( କବି ଭୀମ ଭୋଇଙ୍କ ଏହା ଅନ୍ୟ ଏକ ଜଣାଣ-ଚଉତିଶା ରୀତିରେ ରଚିତ । ଗୁରୁ ଦେବ ସ୍ୱାମୀଙ୍କ ପାଦ ତଳେ ପ୍ରାର୍ଥନା କରିଛନ୍ତି କବି । ସୁନ୍ଦର, ସରଳ ଭାଷା । କବିଙ୍କ ଉଦାର ପାଣ୍ଡିତ୍ୟ, ଧର୍ମଭାବନା ଏଥିରେ ଫୁଟି ଉଠିଛି । )

 

କଳିଯୁଗ ହେଉଅଛି ଶେଷ

 

କିସ ଦେଖୁଛ ଶୂନ୍ୟ ପୁରୁଷ

କଷଣ ପଡ଼ିଲା ଏତେବେଳେ ଆସି

 

କାହିଁ କାହିଁ ନା ଆମ୍ଭରି ବାସ ହେ ଶ୍ରୀଗୁରୁ

। ୧ ।

କ୍ଷୀରସିନ୍ଧୁ ବିହାରୀ ଶକତି

 

କ୍ଷିତି ମଧ୍ୟେ ତୁମ୍ଭ ନାମ ଖ୍ୟାତି

କ୍ଷିତିମଣ୍ଡଳରେ ଜାତ କରିଅଛ

 

କ୍ଷମାକର ଏବେ ଦଣ୍ଡ ଶାସ୍ତି ହେ ଶ୍ରୀଗୁରୁ

। ୨ ।

ଗୁରୁଦେବ ସ୍ୱାମୀ ଅଟ ପରା

 

ଗାଢ଼େ ପଡ଼ିଅଛୁ ଆମ୍ଭେ ଧରା

ଗତିମୁକ୍ତି ଦାତା ବୁଝିବ ଯେମନ୍ତ

 

ଗୁରୁ କ୍ଷୟ କର ପାପଭରା ହେ ଶ୍ରୀଗୁରୁ

। ୩ ।

ଘୋଟି ତିନି ବ୍ରହ୍ମାଣ୍ଡ ଆବୋରି

 

ଘଟେ ଘଟେ ସ୍ୱାମୀ ଅଛ ପୂରି

ଘୋର ବନେ ଆମ୍ଭେ ପଡ଼ିରହିଅଛୁ

 

ଘୋର ଅବସ୍ଥା ଦେଖ ଆମ୍ଭରି ହେ ଶ୍ରୀଗୁରୁ

। ୪ ।

ଅନ୍ତର୍ଗତେ ଅନ୍ୟାୟ ଆଚରି

 

ଅଣବୁଝାମଣା ନାହିଁ କରି

ଅସୁଖ ପାଇ ତଡ଼ୁଛନ୍ତି ଆମ୍ଭଙ୍କୁ

 

ହାନିଲାଭ କିଛି ନ ବିଚାରି ହେ ଶ୍ରୀଗୁରୁ

। ୫ ।

ଚିତ୍ତେ ବିଚାରୁ ତାଇ ମନକୁ

 

ଚଳି ନୋହୁଛି ଆଗ ପଛକୁ

ଚାପି ଆସୁଛନ୍ତି କାଳଦଣ୍ଡ ପ୍ରାଏ,

 

ଚାହୁଁ ଚାହୁଁ ଶିର ଉପରକୁ ହେ ଶ୍ରୀଗୁରୁ

। ୬ ।

 

ଭାବାର୍ଥ- ( ୧-୬ ) କବି ଶ୍ରୀଗୁରୁଦେବଙ୍କୁ ନିବେଦନ ଜଣାଇଛନ୍ତି । ହେ ଶ୍ରୀଗୁରୁ, କଳିଯୁଗ ଶେଷ ହେଲାଣି । ହେ ଶୂନ୍ୟ ପୁରୁଷ କ’ଣ ବା ଆଉ ଦେଖୁଛ ? ମୋ ଉପରେ କଷଣ ପଡ଼ିଛି, କେଉଁଠି ଆମେ ଆଶ୍ରୟ ନେବୁ ? ହେ ପ୍ରଭୁ କ୍ଷୀରସିନ୍ଧୁ ବିହାରୀ, ଜଗତ ମଧ୍ୟରେ ତୁମ ନାମର ପ୍ରସାର ଘଟିଛି । ବିଶ୍ୱବ୍ରହ୍ମାଣ୍ଡକୁ ସୃଷ୍ଟି କରିଛି। ଆମେ ତୁମରି ସନ୍ତାନ । ଆମର ଅପରାଧ କ୍ଷମା କର । ପ୍ରଭୁ, ତୁମେ ଗୁରୁଦେବ ସ୍ୱାମୀ ପରା ? ପୃଥିବୀ ରୂପକ ଗାତରେ ପଡ଼ିଛୁ । ତୁମେ ଗତିମୁକ୍ତିଦାତା, ଆମ ପାପଭାରାକୁ କ୍ଷୟ କର ।

 

ହେ ଶ୍ରୀଗୁରୁ, ତୁମେ ତିନି ବ୍ରାହ୍ମାଣ୍ଡରେ ପରିବ୍ୟାପ୍ତ ହୋଇ ରହିଛି । ହେ ସ୍ୱାମୀ ସକଳ ଘଟରେ ତୁମେ ବିଦ୍ୟମାନ । ଘୋର ବନ ମଧ୍ୟରେ ଆମେ ପଡ଼ି ରହିଛୁ । ଆମର ଭୟଙ୍କର ଦୁଃଖ ଅବସ୍ଥାକୁ ଦୂର କର ।

 

ହେ ଶ୍ରୀଗୁରୁ, ଆମ ପ୍ରତି ଅନ୍ୟାୟ କରୁଛ । ଆମକୁ ଭଲ ପାଅ ନାହିଁ । ହାନଲାଭ କିଛି ନ ବୁଝି, ଅସୁଖ ହୋଇ ଆମକୁ ତଡ଼ି ଦେଉଛି । ଆମେ ଚଳପ୍ରଚଳ ଶୂନ୍ୟ ହୋଇ ଗଲୁଣି । ଚାହୁଁ ଚାହୁଁ ମୁଣ୍ଡ ଉପରକୁ କାଳଦଣ୍ଡ ପ୍ରାୟ ବିପଦ ସବୁ ମାଡ଼ି ଆସୁଛି ।

 

ଛତ୍ର ପରାଏ ଯାହାର ବାନା

 

ଛିଡ଼ାଅ ମନୁ ଚିନ୍ତା ବେଦନା

ଛନ୍ଦ ନଟ କୂଟେ ପଡ଼ି ରହିଅଛୁ

 

ଛାମୁ ଆଜ୍ଞା ନ ପଡ଼ୁଛି ଜଣା ହେ ଶ୍ରୀଗୁରୁ

। ୭ ।

ଜନ ଜଗତେ କଲେଣି ନିନ୍ଦା

 

ଯୁଗ ଘେନି ସର୍ବେ ନେତ୍ର ଅନ୍ଧା

ଜାଣୁଅଛ ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ

 

ଜଣାଉଛି ସଦା ସରବଦା ହେ ଶ୍ରୀଗୁରୁ

। ୮ ।

ଝାଡ଼ ଭିତରେ ପଡ଼ିଛୁ ଆମ୍ଭେ

 

ଝଟତିରେ ବୁଝ ପ୍ରଭୁ ତୁମ୍ଭେ

ଝର ଝର ନେତ୍ରୁ ନୀର ବହୁଅଛି

 

ଝଞ୍ଜକାରୁ ତ୍ରାହିକର ବେଗେ ହେ ଶ୍ରୀଗୁରୁ

। ୯ ।

ନିତି ପ୍ରତି କରୁଛି ଜଣାଣ

 

ନିଷ୍କାମରେ ଲଗାଇ ଭଜନ

ନିରନ୍ତରେ ଶ୍ରୀଗୁରୁଙ୍କୁ ଧ୍ୟାୟିଅଛୁ

 

ନିଶିଦିବସରେ ଅନୁକ୍ଷଣ ହେ ଶ୍ରୀଗୁରୁ

। ୧୦ ।

ଟାକିଅଛୁ ଯିଆ ପରିଯନ୍ତେ

 

ଟାଣ ପ୍ରଭୁଙ୍କୁ ଚାହିଁ ସମସ୍ତେ

ଟିକେ ହେଳା କଲେ ନାଶିଲୁ ଗୋସାଇଁ,

 

ଟଳି ପଡ଼ୁଅଛୁ ମହୀଗତେ ହେ ଶ୍ରୀଗୁରୁ

। ୧୧ ।

ଠାକୁରଙ୍କ ପାଦପଦ୍ମ ଧ୍ୟାୟି

 

ଠାବ ନ ମିଳୁଛି ଶୂନ୍ୟଦେହୀ

ଠଉରି ନୋହୁଛି ତିନି ବ୍ରହ୍ମାଣ୍ଡରେ !

 

ଠିକେ ଜଣାଉଛି ଭୀମ ଭୋଇ ହେ ଶ୍ରୀଗୁରୁ

। ୧୨ ।

 

ଭାବାର୍ଥ- ( ୭-୧୨ ) ଛତ୍ର ପ୍ରାୟ ଯାହାଙ୍କ ବାନା ଆଶ୍ରୟ ପ୍ରଦାନ କରୁଛି, ତାଙ୍କୁ ମନ ମଧ୍ୟରୁ ଚିନ୍ତାବେଦନା ଛାଡ଼ି ପ୍ରାର୍ଥନା କର । ଛନ୍ଦ, ନଟ କୂଟ ମଧ୍ୟରେ ତୁ ପଡ଼ି ରହିଛୁ । ହେ ଶ୍ରୀଗୁରୁ, ଛାମୁଙ୍କ ଆଜ୍ଞା କ’ଣ ଜଣାପଡୁନାହିଁ । ହେ ପ୍ରଭୁ, ତୁମର କାର୍ଯ୍ୟକଳାପ ଯାହା, ତାକୁ ଜଗତର ଲୋକମାନେ ନିନ୍ଦା କରୁଛନ୍ତି । ଯୁଗକୁ ନେଇ ସମସ୍ତେ ଅନ୍ଧପ୍ରାୟ ହୋଇଛନ୍ତି । ହେ ଅନ୍ତର୍ଯ୍ୟାମୀ ତୁମେ ସବୁ ଜାଣୁଛ । ହେ ପ୍ରଭୁ, ସର୍ବଦା ଏ ବିଷୟ ତୁମକୁ ଜଣାଉଛି । ଝାଡ଼ ( ବଣ ) ଭିତରେ ଆମେ ପଡ଼ିଛୁ । ପ୍ରଭୁ ଆମ ଦୁଃଖକୁ ତୁମେ ବୁଝ । ଝର ଝର ହୋଇ ଆଖିରୁ ଆମର ଲୁହ ଝରୁଛି । ଏ ଦୁଃଖରୁ ତ୍ରାହି କର ।

 

ପ୍ରଭୁ ପ୍ରତିଦିନ ମୁଁ ତୁମ ପାଦତଳେ ପ୍ରଣାମ ଜଣାଉଛି । ନିଷ୍କାମ ଅନ୍ତରରେ ପ୍ରାର୍ଥନା କରୁଛି । ନିରନ୍ତର ଭାବରେ ଦିନ ରାତି ଶ୍ରୀଗୁରୁଙ୍କୁ ଧ୍ୟାନ କରୁଛି । ହେ ଶ୍ରୀଗୁରୁ, ତୁମ ପ୍ରଭୁପଣକୁ ଆମେ ଚାହିଁ ରହିଛୁ । ଭରସା କରିଛୁ । ସାମାନ୍ୟ ହେଳା କଲେ ନାଶ ଯିବୁ । ମହାଗରତ (ମହାଗର୍ତ୍ତ-ବଡ଼ ଗଭୀର ଗାତ) ରେ ଆମେ ଟଳି ପଡୁଛୁ । ହେ ଗୋସାଇଁ ଏ ବିପତ୍ତିରୁ ଆମକୁ ଉଦ୍ଧାର କର । ଠାକୁରଙ୍କ ପାଦ ପଦ୍ମକୁ ଧାନ କରୁଛୁ । ସେ ଶୁନ୍ୟ ଦେହୀର ଠାବ ମିଳୁନାହିଁ । ତିନି ବ୍ରହ୍ମାଣ୍ଡରେ ତାଙ୍କୁ ଠଉରାଇ ପାରୁନାହୁଁ ।

 

ଦାଣ୍ଡ ପଡ଼ୁଅଛି ନିରିଘାତ

 

ଦାଣ୍ଡ ବାଟେ ଗଲାଣି ମହତ

ଡାକୁଅଛୁ ଆମ୍ଭେ ଦିବସ ରଜନୀ

 

ଡାକ ନ ଶୁଣ ଅନାଦି କନ୍ଦ ହେ ଶ୍ରୀଗୁରୁ

। ୧୩ ।

ଢମ କହୁଅଛନ୍ତି ସମସ୍ତେ

 

ଢାଳେ ସମ୍ଭାଳି ରହିବି କେତେ

ଢାଙ୍କୁଣୀ ଭିତରୁ ଫିଟାଇ ନ ନେଲେ

 

ଢୋକିଲାଣି ମରଣ ନିଶ୍ଚିନ୍ତେ ହେ ଶ୍ରୀଗୁରୁ

। ୧୪ ।

ଅଣାକାର ଶ୍ରୀଗୁରୁ ଅଲେଖ

 

ଅନାସ୍ଥାରେ ପଡ଼ିଅଛୁ ଦେଖ

ଅନ୍ତର୍ଯ୍ୟାମୀ ସ୍ୱାମୀ ବ୍ରହ୍ମାଣ୍ଡ କରତା

 

ଏଣେତେଣେ ନାହିଁ ଆମ୍ଭ ରକ୍ଷ ହେ ଶ୍ରୀଗୁରୁ

। ୧୫ ।

ତିନି ଭୁବନେ ଅଟ କରତା

 

ତଦନ୍ତରେ ବୁଝ ଆମ କଥା

ତ୍ରାହିକର ସ୍ୱାମୀ ଘୋର ସଙ୍କଟରୁ

 

ତୁମ୍ଭେ ଅଟ ପରା ପିତା ମାତା ହେ ଶ୍ରୀଗୁରୁ

। ୧୬ ।

ଥରିଗଲାଣି ପିଣ୍ଡ ପରାଣ

 

ତିଥି ଦିଆଅ ଆଶା ବିଶ୍ରାମ

ଥରକୁ ଥର ଦେବକୁଟ ପଡ଼ୁଛି

 

ଥାଉଁ ଥାଉଁ ମହାଶୂନ୍ୟ ବ୍ରହ୍ମ ହେ ଶ୍ରୀଗୁରୁ

। ୧୭ ।

ଦୁଃଖୀ ଦରିଦ୍ର ପରାଣୀ ଆମ୍ଭେ

 

ଦୀନବନ୍ଧୁ ଅଟ ପରା ତୁମ୍ଭେ

ଦରିଆରେ ପଡ଼ି ଭାସି ଯାଉଅଛୁ

 

ଦୟାରେ ଉଧରି ଧର ବେଗେ ହେ ଶ୍ରୀଗୁରୁ

। ୧୮ ।

ଧର୍ମ ପରୀକ୍ଷା ଦିଅ ତୁରିତ

 

ଧରଣୀରେ ରହୁ ସତ୍ୟକୁତ

ଧ୍ୟାନ କରିଅଛୁ ଦିବସ ରଜନୀ

 

ଧର୍ମ ହେଉ ତ୍ରିଭୁବନେ ଖ୍ୟାତ ହେ ଶ୍ରୀଗୁରୁ

। ୧୯ ।

ଭାବାର୍ଥ- ( ୧୩-୧୯ ) ହେ ଅନାଦିକନ୍ଦ, ହେ ଶ୍ରୀଗୁରୁ ! ଆମ ଉପରେ ନିର୍ଘାତ ଅର୍ଥାତ୍ ଭୟଙ୍କର ଦଣ୍ଡ ପଡ଼ୁଛି । ଦାଣ୍ଡ, ବାଟରେ ମହତ ଗଲାଣି । ଆମେ ଦିବସ ରଜନୀ ତୁମକୁ ଡାକୁଛୁ । ତଥାପି ଆମ ଡାକକୁ ଶୁଣୁନାହିଁ । ସମସ୍ତେ ଏବେ ଅମୂଳକ ବଡ଼େଇ କଥା କହୁଛନ୍ତି । ଏ ସବୁକୁ ମୁଁ କେତେ ବା ସମ୍ଭାଳିବି ? ମୁଁ ଢଙ୍କୁଣି ଭିତରେ ପଡ଼ି କଷ୍ଟ ପାଉଛି । ମୃତ୍ୟୁ ମୋତେ ଗିଳି ପକାଉଛି । ଏ ଭିତରୁ ମୋତେ ପରିତ୍ରାଣ ନ କଲେ ମୋର ମରଣ ନିଶ୍ଚିତ । ହେ ଶ୍ରୀଗୁରୁ, ଅଣାକାର ଅଲେଖ, ମୁଁ କେତେ ବିପଦରେ ପଡ଼ିଛି ଦେଖ । ତୁମେ ଅନ୍ତର୍ଯ୍ୟାମୀ ସ୍ଵାମୀ, ବ୍ରହ୍ମାଣ୍ଡ କରତା । ତିନିଭୁବନରେ ତୁମେ ହିଁ ଶ୍ରେଷ୍ଠ । ତୁମ ବିନା ଆମକୁ କେହି ରକ୍ଷା କରି ପାରିବେ ନାହିଁ । ପ୍ରଭୁ, ମୋ ଦୁଃଖ ବୁଝ, ଏ ଘୋର ବିପଦରୁ ରକ୍ଷାକର । ହେ ଶ୍ରୀଗୁରୁ, ତୁମେ ଆମର ପିତାମାତା, ଆମର ପିଣ୍ଡପ୍ରାଣ ସବୁ ଥରିଗଲାଣି । ବାରମ୍ବାର ଦେବମାୟା ଆମକୁ ଭାରାକ୍ରାନ୍ତ କରି ପକାଉଛି । ଏଥିରୁ ମୁକ୍ତିଦିଅ ।

ହେ ଶ୍ରୀଗୁରୁ, ମହାଶୂନ୍ୟ, ବ୍ରହ୍ମ ଥାଉଁ ଥାଉଁ ସାଂସାରିକ ମାୟାରେ ପଡ଼ି ଆମେ ଭ୍ରମିତ ହେଉଛୁ ! ଦୀନଦୁଃଖୀ ପ୍ରାଣୀ ଆମ୍ଭେମାନେ । ସାଗରରେ ପଡ଼ି ଭାସୁଛୁ । ତୁମେ ତ ଦୀନବନ୍ଧୁ, ଦୟାର ସାଗର । ଏଇଥିରୁ ଆମକୁ ଉଦ୍ଧାର କର । ହେ ଶ୍ରୀଗୁରୁ, ସଂସାରରେ ଧର୍ମ, ସତ୍ୟର ପ୍ରତିଷ୍ଠା ହେଉ । ଦିବାରାତ୍ରି ଧାନ କରୁଛୁ, ସତ୍ୟଧର୍ମ ତିନିଭୁବନରେ ପ୍ରତିଷ୍ଠା ଲାଭ କରୁ ।

ନିଜରୂପେ ବିଜେ କରିଅଛ

 

ନାନା ନିଷ୍କାମ ଦୀକ୍ଷା ଦେଇଛ

ନାଶ ଯାଉଅଛୁ କଳିଯୁଗେ ଆମ୍ଭେ

 

ନାରାୟଣ ସ୍ୱାମୀ ନ ବୁଝୁଛ ହେ ଶ୍ରୀଗୁରୁ

। ୨୦ ।

ପୂର୍ଣ୍ଣାନନ୍ଦ ପୂର୍ଣ୍ଣଚନ୍ଦ୍ର ରୂପୀ

 

ପୂରି ସର୍ବଭୂତେ ଅଛ ବ୍ୟାପୀ

ପରମ ପୁରୁଷ ବାଞ୍ଛା ପୂର୍ଣ୍ଣକର

 

ପୃଥ୍ୱୀ ମଧ୍ୟେ ସତ୍ୟ ଧର୍ମ ସ୍ଥାପି ହେ ଶ୍ରୀଗୁରୁ

। ୨୧ ।

ଫୁକା ବନ୍ଧ ଫଣି ମଣି ହୋଇ

 

ଫିଙ୍ଗି ଦେଉଅଛ କାହିଁପାଇଁ

ଫେଡ଼ି ଦିଅ ଶୂନ୍ୟ ପିଣ୍ଡ ବ୍ରହ୍ମାଣ୍ଡର,

 

ଫେଡ଼ି ସଂଶୟ ସୁଦୟା ବହି ହେ ଶ୍ରୀଗୁରୁ

। ୨୨ ।

ବାଧିଗଲାଣି ପିଣ୍ଡେ ପ୍ରାଣକୁ

 

ବିସୁଖ ମଣିଲେଣି ଧର୍ମକୁ

ବାତୁଳ ପରାଏ ନିନ୍ଦା କରୁଛନ୍ତି,

 

ବହି ହୃଦେ ଗର୍ବ ଗରିମାକୁ ହେ ଶ୍ରୀଗୁରୁ

। ୨୩ ।

ଭବସାଗରେ ଯାଉଛି ଭାସି

 

ଭାରା ଉଶ୍ୱାସ ହେ ଶୂନ୍ୟବାସୀ

ଭଣେ ଭୀମ ହୀନ ପାମର ଅଜ୍ଞାନ

 

ଭାଳି ମରୁଅଛି ଦିବା ନିଶି ହେ ଶ୍ରୀଗୁରୁ

। ୨୪ ।

ମହିମା ରଖ ମହୀମଣ୍ଡଳେ

 

ମହାଯୁଗ ଘୋର କଳିକାଳେ

ମହତ ପୁରୁଷ ବାଞ୍ଛା ପୂର୍ଣ୍ଣକର

 

ମହୀ ରକ୍ଷାକର ଏତେବେଳେ ହେ ଶ୍ରୀଗୁରୁ

। ୨୫ ।

ଜଗତରେ ନାହିଁ ଆମ୍ଭ ବାସ

 

ଜାଣୁଅଛ ତ ଶୂନ୍ୟ ପୁରୁଷ

ଜଗତର ସ୍ୱାମୀ ଉଦ୍ଧାର ନ କଲେ

 

ଜୀବନକୁ ନାହିଁ ଆଉ ଆଶ ହେ ଶ୍ରୀଗୁରୁ

। ୨୬ ।

ରଖ ମେଦିନୀ ପାଦ ପକାଇ

 

ରହି ନୋହୁଛି ଦମ୍ଭେ ଗୋସାଇଁ

ରକ୍ଷାକର ସ୍ୱାମୀ ଘୋର ସଙ୍କଟରୁ

 

ରାଜା ବ୍ରାହ୍ମଣେ ପରୀକ୍ଷା ଦେଇ ହେ ଶ୍ରୀଗୁରୁ

। ୨୭ ।

ଲଗ୍ନ କେତେ ଦିବସରେ ହେବ

 

ଲାବଣ୍ୟ ମୂରତି ପ୍ରକାଶିବ

ଲଘୁ ହେଉଛନ୍ତି କଳିଯୁଗେ ନରେ,

 

ଲାଗିଛନ୍ତି ମନେ ରହି ଗର୍ବ ହେ ଶ୍ରୀଗୁରୁ

। ୨୮ ।

ବାସ ମନ୍ଦିରେ ପରୀକ୍ଷା ଉଠୁ

 

ବିଷ ପରାଏ ମହିମା ଘୋଟୁ

ବିଶ୍ୱ ବ୍ୟାପକ ପୁରୁଷ ତୁମ୍ଭେ ବୁଝ

 

ବେଗେ ଘୋର କଳିକାଳ ତୁଟୁ ହେ ଶ୍ରୀଗୁରୁ

। ୨୯ ।

 

ଭାବାର୍ଥ- ( ୨୦- ୨୯ ) ହେ ଶ୍ରୀଗୁରୁ, ତୁମେ ନିଜ ରୂପରେ ଏ ସଂସାରରେ ବିଜେ କରିଛି । ସଂସାରକୁ ନାନା ନିଷ୍କାମ ଦୀକ୍ଷା ଦେଇଛ । କଳିଯୁଗରେ ଆମ୍ଭେମାନେ ନାଶ ଯାଉଛୁ । ହେ ନାରାୟଣ ସ୍ୱାମୀ, ଆମ କଥା ବୁଝୁନାହିଁ । ହେ ପୂର୍ଣ୍ଣାନନ୍ଦ ପୂର୍ଣ୍ଣବ୍ରହ୍ମରୂପୀ, ତୁମେ ସର୍ବ ଭୂତରେ ବ୍ୟାପି ରହିଛ । ହେ ପରମ ପୁରୁଷ, ମୋ ବାଞ୍ଛା ପୂର୍ଣ୍ଣକର । ପୃଥିବୀ ମଧ୍ୟରେ ସତ୍ୟ, ଧର୍ମ ସ୍ଥାପନ କର । ହେ ଶ୍ରୀଗୁରୁ, ଫୁକାବନ୍ଧ ସର୍ବମଣି ହୋଇ ଆମକୁ କାହିଁକି ଫୋପାଡ଼ି ଦେଉଛ ? ଶୂନ୍ୟ ପିଣ୍ଡବ୍ରହ୍ମାଣ୍ଡରୁ ଆମକୁ ଖୋଲି ଦିଅ । ଆମେ ମୁକ୍ତି ପାଇଯିବୁ । ଦୟାବହି ଆମ ମନରୁ ସଂଶୟ ଦୂର କର । ହେ ଶ୍ରୀଗୁରୁ, ପିଣ୍ଡପ୍ରାଣକୁ ବହୁତ ବାଧିଲାଣି । ଧର୍ମକୁ ସମସ୍ତେ ଘୃଣା କଲେଣି । ମନ ମଧ୍ୟରେ ଗର୍ବ, ଗରିମାକୁ ଧରି ପାଗଳ ପ୍ରାୟ ସଭିଙ୍କୁ ନିନ୍ଦା କରୁଛନ୍ତି । ହେ ଶ୍ରୀଗୁରୁ, ସଂସାର-ସାଗରରେ ମୁଁ ଭାସି ଯାଉଛି । ହେ ଶୂନ୍ୟବାସୀ, ଧରଣୀର ଭାରାକୁ ଉଶ୍ୱାସ କର । କବି ଭୀମଭୋଇ କହୁଛନ୍ତି, ପ୍ରଭୁ, ହେ ଶ୍ରୀଗୁରୁ, ଦିବାନିଶି ତୁମକୁ ଚିନ୍ତାକରୁଛି । ହୀନ, ପାମର, ଅଜ୍ଞାନ ମୁଁ । ଏ ଗୀତ ଭଣତି କରିଛି । ମୋତେ କ୍ଷମା କର ।

 

ହେ ଶ୍ରୀଗୁରୁ, ଏ ସଂସାରରେ ତୁମ ମହିମାକୁ ରଖ । ଏ ଘୋର କଳିକାଳ । ମହତ ଜନଙ୍କ ବାଞ୍ଛା ପୂର୍ଣ୍ଣ କର । ଏତିକିବେଳେ ପୃଥିବୀକୁ ରକ୍ଷା କର । ହେ ଶ୍ରୀଗୁରୁ, ଶୂନ୍ୟପୁରୁଷ, ଜଗତରେ ଆମେ ନିରାଶ୍ରୟ ହୋଇ ପଡ଼ିଛୁ, ଜଗତର ସ୍ୱାମୀ ତୁମେ । ସବୁ କଥା ଜାଣୁଛ । ତୁମେ ଯଦି ଦୟା ନ କରିବ, ତେବେ ଏ ଜୀବନ ଗଲା ବୋଲି ଜାଣ । ଜୀବନକୁ ଆଉ ଆଶା ନାହିଁ ।

 

ହେ ସ୍ଵାମୀ, ହେ ଶ୍ରୀଗୁରୁ, ପୃଥିବୀ ଉପରେ ପାଦ ଥାପି ତା’ର ଭାରାକୁ ନିବାରଣ କର । ଦମ୍ଭ ଧରି ଆମେ ଆଉ ଏଠାରେ ରହିପାରୁନାହୁଁ । ଏ ଘୋର ସଙ୍କଟରୁ ଆମକୁ ଉଦ୍ଧାର କର । ଭଲ ଲଗ୍ନ କେବେ ଆସିବ ? ତୁମର ସୁନ୍ଦର ମୂର୍ତ୍ତି କେବେ ପ୍ରକାଶ ପାଇବ ? କଳିଯୁଗରେ ଲୋକମାନେ ମନରେ ଗର୍ବ ବହି କୌଣସି କଥାକୁ ଗୁରୁତ୍ୱ ଦେଉନାହାନ୍ତି । ହେ ଶ୍ରୀଗୁରୁ ତୁମେ ବିଶ୍ୱବ୍ୟାପି ରହିଛି-। ଚାରିଦିଗରେ ତୁମ ମହିମା ଘୋଟିଯାଉ । ଏ ଘୋର କଳିକାଳ ନାଶ ହେଉ ।

 

ଶରତ ଋତୁ ହୋଇଲା ଆସି

 

ସୋହତିରେ ଯାଉଅଛି ଭାସି

ସର୍ବ ଅନ୍ତର୍ଯ୍ୟାମୀ ବ୍ରହ୍ମାଣ କରତା,

 

ସାର କରି ବୁଝ ବ୍ରହ୍ମରାଶି ହେ ଶ୍ରୀଗୁରୁ

। ୩୦ ।

ସଦ୍‌ଗୁରୁ ଅଟ ପରା ତୁମ୍ଭେ

 

ସୋହତିରେ ଭାସୁଅଛୁ ଆମ୍ଭେ

ଶୂନ୍ୟ ପୁରୁଷ କରୁଣା କରି ବେଗେ,

 

ସତ୍ୟ ପରକାଶ କର ଏବେ ହେ ଶ୍ରୀଗୁରୁ

। ୩୧ ।

ଶୟନେ ଭୋଜନେ ସୁସ୍ଥ ନାହିଁ

 

ସ୍ୱାମୀ ଦେଖ ନୟନ ପୂରାଇ

ସମ୍ଭାଳି ନୋହୁଛି ଅକାଳ ବିପତ୍ତି,

 

ଶୂନ୍ୟ ପୁରୁଷଙ୍କୁ ଅଛୁ ଚାହିଁ ହେ ଶ୍ରୀଗୁରୁ

। ୩୨ ।

ହରେକ କତା କାରେଣୀ ସ୍ୱାମୀ

 

ହେଉଅଛି ଯାହା ଅନ୍ତର୍ଯ୍ୟାମୀ

ହତ ହେଉଅଛି ପିଣ୍ଡ ପ୍ରାଣ ମୋର,

 

ହେଉଅଛି ଏବେ ପରିଣାମି ହେ ଶ୍ରୀଗୁରୁ

। ୩୩ ।

କ୍ଷମାସାଗର ଶୂନ୍ୟ ପୁରୁଷ

 

କ୍ଷଣକ୍ଷଣକେ ଭାରା ଉଶ୍ୱାସ

ଖତମ କରିଦେବାକୁ ବସିଛନ୍ତି,

 

କ୍ଷମେ ଭଣେ ଭୀମ ଭକ୍ତ ଦାସ ହେ ଶ୍ରୀଗୁରୁ

। ୩୪ ।

 

ଭାବାର୍ଥ- ( ୩୦-୩୪ ) ହେ ସର୍ବ ଅନ୍ତର୍ଯ୍ୟାମି, ବ୍ରହ୍ମାଣ୍ଡ କରତା, ହେ ବ୍ରହ୍ମରୀଣୀ, ହେ ଶ୍ରୀଗୁରୁ, ଶରତ ଋତୁ ଆସିଗଲାଣି । ଦୁଃଖରେ ଭାସି ଯାଉଛି । ତୁମେ ପରା ସଦ୍‍ଗୁରୁ । ହେ ଶୂନ୍ୟ ପୁରୁଷ, ଦୟା ପରବଶ ହୋଇ ଶୀଘ୍ର ଏବେ ସତ୍ୟ ପ୍ରକାଶ କର । ହେ ଶ୍ରୀଗୁରୁ, ଶୟନ, ଭୋଜନରେ ଏବେ ଭଲ ଲାଗୁନାହିଁ । ହେ ସ୍ଵାମୀ, ଚକ୍ଷୁପୂରାଇ ଜଗତକୁ ଦେଖ, ଆମ ଉପରେ ଯେଉଁ ଅକାଳ ବିପତ୍ତି ପଡ଼ିଛି, ତାକୁ ସହି ହେଉନାହିଁ । ହେ ଶ୍ରୀଗୁରୁ, ଶୂନ୍ୟ ପୁରୁଷଙ୍କୁ ଆମେ ଭରସା କରିଛୁ ।

 

ହେ ଅନ୍ତର୍ଯ୍ୟାମୀ ପୁରୁଷ, ହେ ସ୍ଵାମୀ, ତୁମ ବିନା ନିର୍ଦ୍ଦେଶରେ ସମଗ୍ର ଜଗତ ପରିଚାଳିତ-। ମୋ ପିଣ୍ଡରୁ ପ୍ରାଣ ଚାଲିଯାଉଛି । ହେ କ୍ଷମାସାଗର ଶୂନ୍ୟ ପୁରୁଷ, ଦୁଷ୍ଟ ଶକ୍ତିଗୁଡ଼ିକ ଏ ଜଗତକୁ ଧ୍ୱଂସ କରି ଦେବାକୁ ବସିଛନ୍ତି । ହେ ସ୍ୱାମୀ, ପୃଥିବୀର ଭାରାକୁ କ୍ଷଣକ୍ଷଣକେ ଉଶ୍ୱାସ କର । ଶ୍ରୀଗୁରୁଙ୍କ ପାଦପଦ୍ମ ତଳେ ଭକ୍ତ ଭୀମ ଦାସ ଶରଣ ପଶିଛି ।

 

Image